AD

On the school porch A child's future || ସ୍କୁଲ ବାରଣ୍ଡାରେ ପିଲାଙ୍କ ଭବିଷ୍ୟତ

 


ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ମୁହାଁ କରାଇବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏପରିକି ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣ କରି ଡିଜିଟାଲ ଶିକ୍ଷାଦାନ ପାଇଁ ଗୁରୁତ୍ବ ଦେଉଛନ୍ତି। କିନ୍ତୁ ଏତେ ସବୁ ଯୋଜନା ସତ୍ତ୍ବେ ଶ୍ରେଣୀଗୃହ ଅଭାବ ଯୋଗୁଁ ଆଜି ବି ଛାତ୍ରଛାତ୍ରୀ ଗଛମୂଳେ ଓ ବିଦ୍ୟାଳୟ ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି। ଶିକ୍ଷା ବିଭାଗର ଏଭଳି ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଡ଼ ଟେମେରା ପଞ୍ଚାୟତ ଅନ୍ତର୍ଗତ ଚେପଟିଆମ୍ବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।

 ପିଲାଙ୍କ ଭବିଷ୍ୟତ ଗଢା ଚାଲିଛି ସ୍କୁଲ ବାରଣ୍ଡାରେ। ଏ ହେଉଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଡ଼ ଟେମେରା ପଞ୍ଚାୟତ ଅନ୍ତର୍ଗତ ଚେପଟିଆମ୍ବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟ । ଏହି ବିଦ୍ୟାଳୟରେ ଚେପଟିଆମ୍ବା ଗ୍ରାମ ସହ ଗିଲ୍ଲୀଗୁଡା,ଲଦି,କରମଚାନ୍ଦ ଗୁଡା ଏବଂ ପିତାପରା ଗ୍ରାମର ପ୍ରାୟ ୧୩୨ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି।ତେବେ ବିଦ୍ୟାଳୟର ଭିତ୍ତିଭୂମି ଅଭାବ ହେତୁ ପିଲା ମାନଙ୍କ ପାଠ ପଢ଼ାରେ ସମସ୍ୟା ଦେଖାଦେଇଛି। ଗୋଟିଏ କୋଠା ଗୃହରେ କାର୍ଯ୍ୟାଳୟ ସହ ଷଷ୍ଠ ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ଅନ୍ୟ ଏକ କୋଠା ଗୃହରେ ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ପାଠ ପଢୁଛନ୍ତି। ସ୍ଵତନ୍ତ୍ର ଷ୍ଟୋର ରୁମ ନଥିବାଯୋଗୁ ଶ୍ରେଣୀ ଗୃହରେ ହିଁ ରଖାଯାଉଛି ମଧ୍ୟାହ୍ନ ଭୋଜନ ସାମଗ୍ରୀ। ଯାହାଫଳରେ ଦୁଇଟି ଶ୍ରେଣୀ ଗୃହରେ ଖୁନ୍ଦା ପେଲା ହୋଇ ବସୁଛନ୍ତି ଛାତ୍ର ଛାତ୍ରୀ। ଶ୍ରେଣୀ ଗୃହ ଅଭାବ ଯୋଗୁଁ ଅଧିକ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସିଲେ ବାରଣ୍ଡାରେ ପାଠ ପଢ଼ୁଛନ୍ତି।ବର୍ଷା ଦିନ ମାନଙ୍କରେ କୋଠା ଗୃହ ଛାତରୁ ପାଣି ଗଲୁଥିବା ଯୋଗୁଁ ପାଠ ପଢ଼ାରେ ସମସ୍ୟା ହେଉଥିବା ଅଭିଯୋଗ ହୋଇଛି।

ସେହିପରି ଦିର୍ଘ ବର୍ଷ ତଳେ ପ୍ରଶାସନ ପକ୍ଷରୁ ଏହଁ ଏହି ବିଦ୍ୟାଳୟରେ ୩ଟି ଶୌଚାଲୟ ନିର୍ମାଣ ହୋଇଥିଲା। କିନ୍ତୁ ସେହି ଶୌଚାଲୟ ଗୁଡିକ ନଷ୍ଟ ହୋଇଯାଇଥିବା ବେଳେ ବର୍ତ୍ତମାନ କିଛି ବର୍ଷ ତଳେ ନିର୍ମାଣ ହୋଇଥିବା ଗୋଟିଏ ଶୌଚାଲୟ ପିଲା ମାନେ ବ୍ୟବହାର କରୁଛନ୍ତି।ସେହିପରି ବିଦ୍ୟାଳୟରେ ମାତ୍ର ୫ ଜଣ ଶିକ୍ଷକ ନିଯୁକ୍ତି ହୋଇଥିବା ବେଳେ ପାଠ ପଢ଼ାଇବାରେ ସମସ୍ୟା ହେଉଛି।ବିଦ୍ୟାଳୟ ଚାରିପଟେ ପାଚେରୀ ନଥିବା ଯୋଗୁଁ ଛାତ୍ର ଛାତ୍ରୀ ମାନେ ଅସୁରକ୍ଷିତ ରହୁଥିବା ମନେ କରୁଛନ୍ତି ।ପ୍ରଶାସନ ପକ୍ଷରୁ ମୋଟର ଯୋଗେ ପାଣି ଯୋଗାଇ ଦିଆଯାଉଥିବା ବେଳେ ବିଦ୍ୟୁତ କାଟ ହେଲେ ସମସ୍ୟା ହେଉଛି। ତେବେ ବିଦ୍ୟାଳୟ ପରିଚାଳନା କମିଟି ବିଦ୍ୟାଳୟ ର ଭିତ୍ତିଭୂମିର ବିକାଶ ପାଇଁ ଏକାଧିକଥର ପ୍ରଶାସନ ଓ ଜନ ପ୍ରତିନିଧି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ବିଦ୍ୟାଳୟ ର ଜରୁରୀ ଆବଶ୍ୟକତା ଗୁଡ଼ିକ ପୂରଣ ହୋଇପାରିନଥିବା କହିଛନ୍ତି।

   ଏହି ଉପାନ୍ତ ସୀମାନ୍ତ ଅଂଚଳରେ ରହିଥିବା ବିଦ୍ୟାଳୟ ଟି ୧୯୭୨ ମସିହାରେ ସ୍ଥାପିତ ହୋଇଥିଲେ ମଧ୍ୟ ଏହାର ଭିତ୍ତିଭୂମି ର ସର୍ବନିମ୍ନ ଆବଶ୍ୟକ ଗୁଡ଼ିକ ପୂରଣ ହୋଇପାରିନାହିଁ। ତେଣୁ ପ୍ରଶାସନ ବିଦ୍ୟାଳୟ ସମସ୍ତ ସମସ୍ୟାକୁ ଦୃଷ୍ଟିରେ ରଖି ତୁରନ୍ତ ସମାଧାନ କରିବା ପାଇଁ ଦାବି ହୋଇଛି।

Post a Comment

0 Comments