AD

Growth of Kalra Patria tiger tribe in Nagara forest || ନଗଡ଼ା ଜଙ୍ଗଲରେ କଲରା ପତିରିଆ ବାଘ ବଂଶ ବୃଦ୍ଧି



ନଗଡ଼ା ଜଙ୍ଗଲରେ ବାଘ ।  କ୍ୟାମେରାରୁ ସ୍ପଷ୍ଟ କଲରାପତରିଆ ବିଚରଣ । କଟକ ବନଖଣ୍ଡ ସୁକିନ୍ଦା ରେଞ୍ଜ୍ ରାଁସୋଳ ସେକ୍ସନ ପକ୍ଷରୁ ଦୈତାରୀ ସୁରକ୍ଷିତ ଜଙ୍ଗଲର ନଗଡ଼ା ପଡ଼ୋଶୀ ତୁମୁଣି କମ୍ଭାରୁଣି ଓ କଙ୍କଡ଼ାଗୋଡ଼ି ଗାଁ ପାଖ ବାରିଙ୍ଗ ଜଙ୍ଗଲରେ ଲଗାଯାଇଥିବା ୨ଟି ଟ୍ରାପ୍‌ କ୍ୟାମେରାରେ ୨ଟି କଲରାପତରିଆ ବାଘର ଫଟୋଚିତ୍ର ଉତ୍ତୋଳିତ ହୋଇଛି। ଏଥିସହ ଯାଜପୁର ଜିଲ୍ଲାରେ ୨ଟି ସ୍ଥାନରେ ବାଘର ଉପସ୍ଥିତି ସ୍ପଷ୍ଟ ହୋଇଛି। ୨ଟି ଯାକ ଫଟୋକୁ ଆସନ୍ତାକାଲି ଭୁବନେଶ୍ବରସ୍ଥିତ ବନ ବିଭାଗ ମୁଖ୍ୟାଳୟକୁ ପଠାଯାଇ ଏହାର ବିଶ୍ଳେଷଣ କରାଯିବ ବୋଲି ବନପାଳ ନରେଶ କୁମାର ଟୁଡ଼ୁ ସୂଚନା ଦେଇଛନ୍ତି। 

ଏ ସଂକ୍ରାନ୍ତୀୟ ରିପୋର୍ଟ ହସ୍ତଗତ ପରେ ବାଘର ସଂଖ୍ୟା, ଲିଙ୍ଗ, ବୟସ ଓ ବାସସ୍ଥଳୀ ସଂପର୍କରେ ସବିଶେଷ ତଥ୍ୟ ମିଳିପାରିବ ବୋଲି ସେ କହନ୍ତି। ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର ମାସ ୧୪ ତାରିଖରୁ ବନ ବିଭାଗ ପକ୍ଷରୁ ଦୈତାରୀ ସୁରକ୍ଷିତ ଜଙ୍ଗଲରେ ବାଘ ଗଣନା କାର୍ଯ୍ୟ ଜାରି ରହିଥିବା ବେଳେ ତୁମୁଣି ଗାଁର ଦକ୍ଷିଣରେ ଥିବା କମାରୁଣି(କୁମ୍ଭାରୁଣି) ପାହାଡ଼ର ପାଦଚଲା ଗୁଳା ବାଟ ଓ ଚଣାକୋଟ ଜଙ୍ଗଲରେ ଏକାଧିକ ମଧ୍ୟମ ବୟସ୍କ କଲରାପତରିଆ ବାଘର ପଞ୍ଝାଚିହ୍ନ ଠାବ ହୋଇଥିଲା।

ଦୈତାରୀ ଜଙ୍ଗଲରେ ବାଘର ଉପସ୍ଥିତି ଓ ବଂଶବୃଦ୍ଧିକୁ ନେଇ ବିଭାଗୀୟ କର୍ତ୍ତୃପକ୍ଷ ଓ ପରିବେଶବିତ ଉତ୍ସାହିତ ହୋଇଥିବା ବିଭାଗୀୟ ସୂଚନା ମିଳିଛି।

 


Post a Comment

0 Comments