AD

Smart robber killed in Bhubaneswar || ଭୁବନେଶ୍ବରରେ ମାତିଛନ୍ତି ସ୍ମାର୍ଟ ଲୁଟେରା

 


ହୋଟେଲ କି ମଣ୍ଡପରେ ବାହାଘର କରୁଛନ୍ତି କି ?  ତାହାଲେ ସାବଧାନ୍!  କାରଣ ଭୁବନେଶ୍ବରରେ ମାତିଛନ୍ତି ସ୍ମାର୍ଟ ଲୁଟେରା।

ଏହି ଲୁଟେରାଙ୍କ ଟାର୍ଗେଟରେ ଏବେ ରାଜଧାନୀର ବଡ଼ ବଡ଼ ମଣ୍ଡପ। ଅତିଥି ବେଶରେ ଆସୁଛନ୍ତି। ଆଉ ସୁଯୋଗ ଉଣ୍ଡି ଲୁଟି ନେଉଛନ୍ତି ଉପହାର ଓ ଟଙ୍କା ବ୍ୟାଗ। ଏହି ରାକେଟରେ କାମ କରୁଛନ୍ତି ନାବାଳକ।

ଛୋଟ ପିଲାଙ୍କୁ ଲଗାଇ ବଡ଼ ଲୁଟ୍ କରୁଛନ୍ତି ଏହି ଗ୍ୟାଙ୍ଗ।ଗୋଟିଏ ରାତିରେ ରାଜଧାନୀରେ ଘଟିଛି ଏମିତି ଦୁଇଟି ଲୁଟ୍ ଘଟଣା।

ରାଜଧାନୀରେ ମାତିଛନ୍ତି ସ୍ମାର୍ଟ ଲୁଟେରା। ସେମାନଙ୍କ ଟାର୍ଗେଟରେ ବଡ଼ ବଡ଼ ମଣ୍ଡପ। ଗୋଟିଏ ରାତିରେ ରାଜଧାନୀର ଦୁଇଟି ମଣ୍ଡପରୁ ହୋଇଛି ଲୁଟ୍। ସିସି ଟିଭିରେ କଏଦ ହୋଇଛି ଚୋରି ଦୃଶ୍ୟ। ଭଲଭାବେ ଦେଖନ୍ତୁ ଏଇ ଦୁଇଟି ଦୃଶ୍ୟକୁ ।

ଗୋଟିଏ ବଡଗଡ଼ ଅଞ୍ଚଳର ରିଗାଲ ପାମ୍ ମଣ୍ଡପ। ଅନ୍ୟଟି ହୋଟେଲ ମେ ଫେୟାର କନଭେସନ୍ ହଲ୍। ଦୁଇଟି ସ୍ଥାନରୁ ସମାନ ତରିକାରେ ଲୁଟ୍। ସବୁଠୁ ବଡ଼ କଥା ହେଲା ଦୁଇଟି ସ୍ଥାନରେ ଲୁଟେରା ସମାନ। ସମାନ ଦିନ। କିନ୍ତୁ ଭିନ୍ନ ଭିନ୍ନ ସମୟ। ଇଏ ବଡ଼ଗଡ଼ ରିଗାଲ ପାମ୍ ମଣ୍ଡପର ଦୃଶ୍ୟ । ୭ ତାରିଖ ରାତି ପ୍ରାୟ ୧୦ଟା। ବରଯାତ୍ରୀ ବେଶରେ ମଣ୍ଡକୁ ପ୍ରବେଶ କରୁଛି ଏଇ ନାବାଳକ ଜଣକ।ବୟସ ୧୨ରୁ ୧୫ ହେବ। ବେଦି ପାଖରେ ରଖାଯାଇଥିବା ଗିଫ୍ଟ ଆଇଟମ୍ ପାଖରେ ନସର ପସର ହେଉଛି। ଚୈୟାରରେ ବସି ସୁଯୋଗକୁ ଅପେକ୍ଷା କରିଛି । ରାତି ୧୦ଟା ୪୪। ରୋଷଣୀ କରି ଆସୁଛି ବର। ଆଉ ବ୍ୟାଗ ଦାୟିତ୍ବରେ ଥିବା ମହିଳା ଜଣଙ୍କ ଗିଫ୍ଟ ବ୍ୟାଗ ରଖି ଅଳ୍ପ ସମୟ ପାଇଁ ସ୍ଥାନ ଛାଡି ଆଗକୁ ଯାଉଛନ୍ତି। ଏହାକୁ ସୁବର୍ଣ୍ଣ ସୁଯୋଗ ଭାବି ବ୍ୟାଗ ଧରି ଚମ୍ପଟ ମାରୁଛି ଲୁଟେରା।  ଅଳ୍ପ କିଛି ସମୟ ପରେ ମହିଳା ଜଣଙ୍କ ଆସି ବ୍ୟାଗ ଅଣ୍ଡାଳୁଛନ୍ତି। ସେତେବେଳେକୁ ମଣ୍ଡପ ଗେଟ୍ ପାଖରେ ପହଞ୍ଚିଗଲାଣି ଲୁଟେରା। ଏ ଦୃଶ୍ୟ ଦେଖନ୍ତୁ। କିପରି କାର୍ କୁ ଅତିକ୍ରମ କରି ମଣ୍ଡପ ପାଚେରୀ ଦେଇ ଖସି ଯାଉଛି । ଯାହାର କେହି ଟେର୍ ପାଉନାହାନ୍ତି ।

ରିଗାଲ୍ ପାମ୍ ମଣ୍ଡପରେ ଅବନୀ ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ଚାଲିଥିଲା ଝିଅ ବହାଘର। ବର ଆସିବା ସମୟରେ ସମସ୍ତଙ୍କ ଅନ୍ୟମନସ୍କତାର ସୁଯୋଗ ଉଣ୍ଡି ମଣ୍ଡପ ନିକଟରୁ ଲୁଟ୍ କରିଛି ନାବାଳକ । ବ୍ୟାଗ ଭିତରେ ୫ରୁ ୬ ଲକ୍ଷ ଟଙ୍କା ସହ ଗହଣା ରହିଥିଲା । ଏନେଇ ସେ ବଡ଼ଗଡ଼ ଥାନାରେ ଏତଲା ଦେଇଛନ୍ତି । ଘଟଣା ପାଇଁ ଦାୟୀ କରିଛନ୍ତି ମଣ୍ଡପ ସିକ୍ୟୁରିଟି ବ୍ୟବସ୍ଥାକୁ। 

ଏହା ପୂର୍ବରୁ ସେହି ନାବାଳକ ଲୁଟେରା ହୋଟେଲ ମେ ଫେୟାର କନଭେନସନ୍ ହଲରେ ଚାଲିଥିବା ଏକ ବିବାହ ବେଦି ନିକଟରୁ କରିଥିଲା ଲୁଟ୍ ପାଟ୍ । ଇଏ ହେଉଛି ସେହି ପିଲା। ବୁଟ୍ ସୁଟ୍ ପିନ୍ଧିଛି। ହୋଟେଲ ଭିତରେ କିଛି ସମୟ ବୁଲାବୁଲି କରିବା ସହ ନଜର ପକାଉଛି ଗିଫ୍ଟ ଆଇଟମ୍ ଉପରେ। ଶେଷରେ ଏହାକୁ ଲୁଟିବାରେ ସକ୍ଷମ ହେଉଛି। ଦୀନେଶ ମହାନ୍ତି ନାମକ ଜଣେ ବ୍ୟକ୍ତି ଲୁଟ୍ ନେଇ ମୈତ୍ରୀବିହାର ଥାନାରେ ଏତଲା ଦେଇଛନ୍ତି । ତାଙ୍କ ଝିଆରୀର ହେଉଥିଲା ବାହାଘର। ଏତଲା ଅନୁଯାୟୀ  ଲୁଟେରା ୩ ହଳ ସୁନା ରିଂ, ୨୦ ଗ୍ରାମ୍ର ଗୋଟିଏ ସୁନା ଚେନ, ତିନୋଟି ଆଇ ଫୋନ୍ , ୪ ଲକ୍ଷ ଟଙ୍କା ଗିଫ୍ଟ କ୍ୟାସ ଲୁଟି ନେଇଛି ।

ତେବେ ଏହି ନାବାଳକ କେବେ ଏକା ନଥିବ। ନିଶ୍ଚିତ ଏହାର ଗ୍ୟାଙ୍ଗ ବାହାରେ ଅପେକ୍ଷାରେ ଥିବେ। ଲୁଟ ପରେ ସେମାନେ ନାବାଳକକୁ ସେଠାରୁ ନେଇ ଫେରାର ହୋଇଯଇଥିବେ। ସେହି ଗ୍ୟାଙ୍ଗକୁ ଠାବ କରିବା ଏବେ ପୋଲିସ ପାଇଁ ବଡ ଆହ୍ବାନ ହୋଇଛି।

Post a Comment

0 Comments