AD

Udla city has become a prey for robbers || ଲୁଟେରାଙ୍କ ଚରାଭୂଇଁ ପାଲଟିଛି ଉଦଳା ସହର

 


ଲୁଟେରାଙ୍କ ଚରାଭୂଇଁ ପାଲଟିଛି ଉଦଳା ସହର । ସ୍ପଷ୍ଟ ଦିବାଲୋକରେ ହେଉଛି ଲୁଟ୍ ଏବଂ ଚୋରି । କିଛି ଦିନର ବ୍ୟବଧାନ ପରେ ପୁଣି ଫେରିଛନ୍ତି ଲୁଟେରା । ଆଉ ପୋଲିସକୁ ଦେଇଛନ୍ତି ଖୋଲା ଚ୍ୟାଲେଞ୍ଜ ।ଡେରା ପକାଇ ରହିଛନ୍ତି ଲୁଟ୍ କରିବାକୁ । ପୋଲିସକୁ ଚ୍ୟାଲେଞ୍ଜ ଦେଇ କରୁଛନ୍ତି ଲୁଟ । କିଏ କେଉଁ ଦିନ ବାହାରକୁ ଗଲେ ତହିଁ ପରଦିନ ଘରୁ ହୋଇଯାଉଛି ଲୁଟ୍ । ଯାହାକୁ ନେଇ ଦିନକୁ ଦିନ ବିଗିଡିବାରେ ଲାଗିଛି ଉଦଳାରେ ଆଇନ ଶୃଙ୍ଖଳା । ଗତ ଏକ ମାସର ରିପୋର୍ଟ  ହିଁ ବୟାନ କରୁଛି ଉଦଳାରେ ଲୁଟେରାଙ୍କ ପ୍ରାର୍ଦୁଭାବକୁ । ଗତ ଡିସେମ୍ବର ମାସ ୫ ତାରିଖରେ ଉଦଳା ଡାକ୍ତରଖାନା ପରିସରରୁ ସ୍ପଷ୍ଟ ଦିବାଲୋକରେ ଲୁଟେରା ଆସି ସ୍କୁଟି ଲୁଟି ନେଇ ଚାଲିଯାଇଥିବା ବେଳେ ପୋଲିସ୍ ଦୁଇ ଦିନ ପରେ ଲୁଟ ହୋଇଥିବା ସ୍କୁଟିକୁ ଜବତ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ଲୁଟେରାକୁ ଗିରଫ କରିପାରିନାହିଁ । ତାହାର ଦିନ କେଇଟା ପରେ ଅର୍ଥାତ୍ ଡିସେମ୍ବର ୧୨ ତାରିଖ ରାତିରେ ଲୁଟେରାମାନେ ଏନଏସି ୮ ନଂ ୱାର୍ଡରେ ପ୍ରମୋଦ କୁମାର ନାୟକଙ୍କ ଘରେ ପଶି ୨୫ ହଜାର ଟଙ୍କା ଏବଂ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିଲେ । ତାହାର ଦୁଇ ସପ୍ତାହ ପରେ ଡିସେମ୍ବର ୨୫ ତାରିଖ ରାତିରେ ଏନଏସି ୩ ନଂ ୱାର୍ଡର କଲେଜ ଅଧ୍ୟାପିକା ପ୍ରମୋଦିନୀ ରାଉତଙ୍କ ଘରେ ପଶି ଦୁବୁର୍ତମାନେ ନଗଦ ଟଙ୍କା ସହିତ ସୁନା ଅଳଙ୍କାର ଲୁଟିବା ସହିତ ସିସିଟିଭି ଭାଙ୍ଗି ଦେଇଥିଲେ । ଏହାର ଚାରି ଦିନ ପରେ ଡିସେମ୍ବର ୩୦ ତାରିଖରେ ଲୁଟେରାମାନେ ୧୨ ନଂ ୱାର୍ଡରେ ରହୁଥିବା ଅଧ୍ୟାପକ ଶଶିଭୂଷଣ ପାଣିଗ୍ରାହୀଙ୍କ ଘରେ ରାତିରେ ପଶି ନଗଦ ଟଙ୍କା ସହିତ ସୁନା ଅଳଙ୍କାର ମଧ୍ୟ ଲୁଟି ନେଇଥିଲେ । 

ଗୋଟିଏ ମାସ ମଧ୍ୟରେ ଏଭଳି ଲୁଟେରାମାନେ ପୋଲିସକୁ ଚ୍ୟାଲେଞ୍ଜ ଦେଇ ଲୁଟ କରିଥିବା ବେଳେ ପୋଲିସ୍ କୌଣସି ଲୁଟେରାଙ୍କୁ ଗିରଫ କରିପାରିନାହିଁ । ଏ ସବୁ ଭିତରେ ଗତ ୩ ତାରିଖରେ ସ୍ପଷ୍ଟ ଦିବାଲୋକରେ ପଲସରରେ ଆସି ଲୁଟେରାମାନେ ୩ ନଂ ୱାର୍ଡର ପ୍ରେମଲତା ମହାନ୍ତିଙ୍କ ବେକରୁ ୨ ଲକ୍ଷ ଟଙ୍କାର ସୁନାହାର ଲୁଟି ନେଇଛନ୍ତି ।

ବାରମ୍ବାର ଏହିଭଳି ଲୁଟ ଏବଂ ରାହାଜାନି ଉଦଳା ଅଂଚଳରେ ବଢିବାରେ ଲାଗିଥିବା ବେଳେ ପୋଲିସ୍ ହାତ ଖାଲି । ଏଭଳି ପରିସ୍ଥିତିରେ ଉଦଳାବାସୀ ନିଜକୁ ଅସୁରକ୍ଷିତ ମଣୁଥିବା କହିଛନ୍ତି ।

Post a Comment

0 Comments