AD

Preparations for the 2024 ride have begun || ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ୨୦୨୪ ରଥଯାତ୍ରା ଲାଗି ପ୍ରସ୍ତୁତି

 


ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି  ୨୦୨୪ ରଥଯାତ୍ରା ଲାଗି ପ୍ରସ୍ତୁତି ।  ମହାପ୍ରଭୁଙ୍କ ମାଳ, ପତନି, ଲାଗି ଲୁଗା ସହ ଟାକୁଆ ସରପୁଳି,ବିରିପିଠା ଓ ଲଡୁ ମହାପ୍ରସାଦ ନେଇ ରଥ ତତ୍ତ୍ୱାବଧାରକଙ୍କ ନେତୃତ୍ୱରେ ଏକ ତିନିଜଣିଆ ପ୍ରତିନିଧି ଦଳ ନୟାଗଡ଼ ଅଭିମୁଖେ ଆସନ୍ତା ୧ ତାରିଖରେ ଯାତ୍ରା କରିବେ। ରଥ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ, ଭୋଇ ସର୍ଦ୍ଦାର ରବି ଭୋଇ ଓ ଅମିନ ଲକ୍ଷ୍ମଣ ମହାପାତ୍ର ପ୍ରମୁଖ ତିନିଜଣ ନୟାଗଡ଼ ବନଖଣ୍ଡ ଅନ୍ତର୍ଗତ ବଡ଼ମୂଳସ୍ଥିତ ବଡ଼ରାଉଳ ଠାକୁରାଣୀଙ୍କୁ ନିମନ୍ତ୍ରଣ ଲାଗି ଯାତ୍ରା କରିବେ। ବଡ଼ରାଉଳ ଠାକୁରାଣୀଙ୍କ ମନ୍ଦିରରେ ଆସନ୍ତା ୨ ତାରିଖରେ ହୋମ ପୁଜାର୍ଚ୍ଚନା ଆଦି କରାଯିବ। ଠାକୁରାଣୀଙ୍କୁ ମାଳ ମହାପ୍ରସାଦ ଓ ଲାଗିଲୁଗା ଲାଗି କରାଯିବ। ଏହାପରେ ମହାପ୍ରଭୁଙ୍କ ରଥ ନିର୍ମାଣ ଲାଗି ଆବଶ୍ୟକୀୟ ଅସନ, ଫାସି ଓ ଧଉରା କାଠ ଆଦିକୁ ଚିହ୍ନଟ କରାଯିବ। ତାପରେ ଆଗାମୀ ରଥଯାତ୍ରା ପାଇଁ ରଥନିର୍ମାଣ ନିମନ୍ତେ ରଥକାଠ କଟାଯିବା ପାଇଁ ମା ବଡରାଉଳ ଠାକୁରାଣୀଙ୍କ ଠାରୁ ଅନୁମତି ନିଆଯିବାର ବିଧି ପରମ୍ପରା ଏବେବି ରହିଆସିଛି।


 

ସେହି ଅନୁସାରେ ଏହାପରେ ନୟାଗଡ ବନଖଣ୍ଡ ପକ୍ଷରୁ କାଠକଟା ପ୍ରସ୍ତୁତି ଆରମ୍ଭ ହେବ। ତେବେ ମହାପ୍ରଭୁଙ୍କ ତିନିରଥ ନିର୍ମାଣରେ ମୋଟ ୮୬୫ ଖଣ୍ଡ କାଠ ଲାଗିଥାଏ। ତତମଧ୍ୟରୁ ପ୍ରାୟ ୬୫ ଖଣ୍ଡ କାଠ ଗତ ବର୍ଷରୁ ବଳକା ରହିଛି । ଚଳିତ ବର୍ଷ ୮୦୦ ଖଣ୍ଡ କାଠ ଆବଶ୍ୟକ ରହିଛି। ଅବଶିଷ୍ଟ କାଠ ବୌଦ୍ଧ ଓ ନୟାଗଡ଼ରୁ ଆସିବ।

Post a Comment

0 Comments