AD

Picnic spot Pandigat of Koraput || ପିକନିକ ସ୍ପଟ କୋରାପୁଟର ପଣ୍ଡିଘାଟ

 


ଶୀତଦିନ ଆସିଲେ ଲୋକମାନେ ପିକନିକ କରିବା ପାଇଁ ବିଭିନ୍ନ ସ୍ଥାନଙ୍କୁ ଯାଇଥାନ୍ତି ଏବଂ ପରିବାର ସହ ଭରପୁର ମନୋରଞ୍ଜନ କରିଥାନ୍ତି। ସେହିଭଳି କୋରାପୁଟର ପଣ୍ଡିଘାଟ ପିକନିକ ସ୍ପଟ ଏବେ ଲୋକମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ପ୍ରାକୃତିକ ପରିବେଶ ସାଙ୍ଗକୁ କୋଲାବ ଜଳଭଣ୍ଡାରରେ ନୌକା ବିହାର ଜିଲ୍ଲାବାହାର ପର୍ଯ୍ୟଟକମାନଙ୍କୁ ଟାଣି ଆଣୁଛି । ଆସନ୍ତୁ ଦେଖିବା କୋରାପୁଟରୁ ଏହି ରିପୋର୍ଟ।

    କୋରାପୁଟ ସହରରୁ ମାତ୍ର ୬ କିଲୋମିଟର ଦୂରରେ ଲଙ୍କାପୁଟ ପଞ୍ଚାୟତର ପଣ୍ଡିଘାଟ ପିକନିକ ସ୍ପଟ ଏବେ ଜିଲ୍ଲାରେ ଅନ୍ୟତମ ଆକର୍ଷଣ । ଏହି ପିକନିକ ସ୍ପଟ କୋଲାବ ଜଳଭଣ୍ଡାର ନିକଟରେ ଅବସ୍ଥିତ। ନଭେମ୍ବର ମାସରୁ ଫେବୃଆରି ମାସରେ ଏଠାରେ ବେଶ ଭିଡ ହୋଇଥାଏ । କାହିଁ କେତେ ଦୂରରୁ ପର୍ଯ୍ୟଟକଙ୍କ ଭିଡ଼ ଏଠାରେ ଲାଗିଥାଏ । ଏଠାରେ କୋଲାବ ଜଳଭଣ୍ଡାରର ଜଳରେ ନୌବିହାରର ମଜା ନେବା ପର୍ଯ୍ୟଟକଙ୍କ ଲାଗି ଭିନ୍ନ ଆକର୍ଷଣ ସାଜିଛି। ପର୍ଯ୍ୟଟକମାନେ ଏହି ସ୍ଥାନରେ ଭୋଜିଭାତ କରି ସ୍ଥାନକୁ ବେଶ ଉପଭୋଗ କରିବା ସହିତ ନୌବିହାର ମଜା ନେଇଥାନ୍ତି । ତେବେ ପଣ୍ଡି ପିକନିକ ସ୍ପଟରେ ଆନୁସାଙ୍ଗିକ ବ୍ୟବସ୍ଥା ନଥିବାରୁ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରିବା ସହ ପର୍ଯ୍ୟଟନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ କହିଛନ୍ତି।

ଜିଲ୍ଲାର ବିଭିନ୍ନ ପିକନିକ ସ୍ପଟରେ କଟକଣା ଯୋଗୁଁ ଅସୁରକ୍ଷିତ ପିକନିକ ସ୍ପଟରେ ଲାଗିଛି ଭିଡ଼। ପଣ୍ଡି ଘାଟରେ କୋଲାବ ଜଳଭଣ୍ଡାରରେ ବିପଦ ପୁର୍ଣ୍ଣ ଭାବରେ ଜୀବନକୁ ବିପଦରେ ପକାଇ ପର୍ଯ୍ୟଟକ ନୌବିହାର କରୁଥିବା ଦେଖିବାକୁ ମିଳିଛି।ପଣ୍ଡିଘାଟରେ ତିନୋଟି ମୋଟର ଚାଳିତ ଡଙ୍ଗା ରହିଛି। ପର୍ଯ୍ୟଟକ ମାନେ ଏହି ଡଙ୍ଗାରେ ନୌବିହାର କରନ୍ତି। ଡଙ୍ଗାରେ ପର୍ଯ୍ୟଟକଙ୍କ ପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ କିମ୍ବା କୌଣସି ଅଘଟଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରା ଯାଇନାହିଁ। କୋରାପୁଟ ସହର ବ୍ୟତୀତ ଅନ୍ୟ ଅଞ୍ଚଳରୁ ଅସଂଖ୍ୟ ପର୍ଯ୍ୟଟକମାନେ ସାଥିରେ ପିଲାମାନଙ୍କୁ ଆଣି ବଣଭୋଜି କରିବାକୁ ଆସିଥାନ୍ତି। ପଣ୍ଡିଘାଟ ପର୍ଯ୍ୟଟକ ମାନଙ୍କ ପାଇଁ ଲୋଭନୀୟ ସ୍ଥାନ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ଦାବି ହେଉଛି।

କୋରାପୁଟ ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ପଣ୍ଡିଘାଟ ପିକନିକ ସ୍ପଟ ପ୍ରତି ଦୃଷ୍ଟି ଦେଇ ଡଙ୍ଗା ଚାଳକ ମାନଙ୍କୁ ସୁରକ୍ଷା କିଟ ପ୍ରଦାନ କରିବା ସହ ଆନୁସାଙ୍ଗିକ ବ୍ୟବସ୍ଥା ଯୋଗାଇଲେ ପର୍ଯ୍ୟଟକ ସୁରକ୍ଷିତ ରହିବା ସହ ଆସନ୍ତା ଦିନରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବା ସମ୍ଭାବନା ରହିଛି।

Post a Comment

0 Comments