AD

ସିନ୍ଦୁର ମଉସା..୭୫ ବର୍ଷରେ ହାର ମାନିଛି ବୟସ । ବଞ୍ଚିବା ପାଇଁ କରୁଛନ୍ତି ସଂଘର୍ଷ..

 

ମା ଅଳତା ନିଅ...

ସିନ୍ଦୁର ନିଅ...

ନିଇତି ଏଇ ସ୍ୱର ଭାସିଆସେ ଗାଁ ମୁଣ୍ଡରୁ...

ଗାଁ ରାସ୍ତାରେ ଅଳତା, ସିନ୍ଦୁର ସହିତ ଝିଅପିଲାଙ୍କ ପ୍ରସାଧନ ଜିନିଷ ନେଇ ଅଣ୍ଟା ନଇଁ ନଇଁ ବୁଢା ଲୋକଟିଏ ଡାକ ପକାଇ ଯାଉଥିବା ଦେଖିବାକୁ ମିଳେ I ବୁଢ଼ା ଲୋକଟିର ଡାକରେ ଗାଁ ଗୋଟାକ ଯାକର ଝିଅ ବୋହୂ ଘର ବାହାରକୁ ଆସି ବେଢ଼ି ଯାଆନ୍ତି ବୁଢ଼ାଟିକୁ...

ବୁଢାଟିକୁ ସମସ୍ତେ ଡାକନ୍ତି ସିନ୍ଦୁର ମଉସା...

ପୁରୀ ଜିଲ୍ଲା କଣାସ ଗାଁ ର ଏଇ ସିନ୍ଦୁର ମଉସା ଘରେ ଘରେ ପରିଚିତ I କାନ୍ତକବି ଲଷ୍ମୀକାନ୍ତ ମହାପାତ୍ରଙ୍କ ଲୋକପ୍ରିୟ ଗପ ବୁଢ଼ା ଶଙ୍ଖାରୀ ଚରିତ୍ର ଭଳି ଇଏ ଆଉ ଏକ ଅନନ୍ୟ ଚରିତ୍ର ସିନ୍ଦୁର ମଉସା I ଧୁ ଧୁ ଖରା ହେଉ କି ମୂଷଳ ବର୍ଷା...

 ହାଡଭଙ୍ଗା ଶୀତରେ ବି ସବୁଦିନେ ଗାଁ ମୁଣ୍ଡରୁ ଡାକଦେଇ ସିନ୍ଦୁର ମଉସା ଗାଁ ଦାଣ୍ଡରେ ଚାଲି ଚାଲି ଆସନ୍ତି I ଦୀର୍ଘ ପଚାଶ ବର୍ଷ ଧରି ଏଇ ଡାକ ସହିତ ଗାଁ ଯାକ ପରିଚିତ I ସିନ୍ଦୁର ମଉସାଙ୍କ ନିଜ ଘର ଗଞ୍ଜାମ ଜିଲ୍ଲାରେ... ତାଙ୍କର ପ୍ରକୃତ ନାମ ରବିନ୍ଦ୍ର ପ୍ରଧାନ I

ସିନ୍ଦୁରର ଛିଟା ବିକ୍ରି କରି ସଧବାର ମଥାକୁ ଦାଉଦାଉ କରାଇଦେଉଥିବା ସିନ୍ଦୁର ମଉସାଙ୍କ ଜୀବନରେ ଦୁଃଖ ହିଁ ଦୁଃଖ ଭରି ରହିଛି I ସ୍ତ୍ରୀ ଗଲାପରେ ପୁଅ ବି ପଚାରିଲାନି... ଝିଅ କେଉଁଆଡେ ଚାଲିଗଲା I ଏଇ ବୟସରେ ଏକା ହୋଇଗଲେ ସିନ୍ଦୁର ମଉସା I ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ I ମୁଠେ ଭାତ ରାନ୍ଧି ଦେବାକୁ ଆପଣାର କେହିନାହିଁ I ତଥାପି ବି ପଞ୍ଚସ୍ତରୀ ବୟସରେ ହାରି ଯାଇନାହାନ୍ତି ସିନ୍ଦୁର ମଉସା I ପେଟ ଚାଖଣ୍ଡକ ପାଇଁ ଏବେ ବି ଅଣ୍ଟା ନଇଁ ନଇଁ ବୁଲୁଛନ୍ତି ସାରା ଗାଁ....

Post a Comment

0 Comments