AD

A continental feel at Blue Flag Beach || ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ମାଳଦ୍ବୀପର ଅନୁଭବ



ସମୁଦ୍ରର ନୀଳ ଲହଡ଼ି, ମୁଣ୍ଡ ଉପରେ ସୁନୀଳ ଆକାଶ । ବିସ୍ତୀର୍ଣ୍ଣ ବେଳାଭୂମିରେ ଧୋବ ଫରଫର ନୀଳ ରଙ୍ଗର ଆରାମ ଚେୟାର୍। କିଛି କିଛି ଦୂରତାରେ ଚାଳ ଛପରର ଛତ୍ରୀ। ସବୁଜିମା ଭରା ପରିବେଶ ସହ ଅତ୍ୟାଧୁନିକ ଓ ଅତ୍ୟାବଶ୍ୟକ ବ୍ୟବସ୍ଥାରେ ସମୃଦ୍ଧ ହୋଇଛି ବେଳାଭୂମି। ସ୍ବଚ୍ଛତା ଯେମିତି, ସବୁଜିମା ବି ସେମିତି। ବାଥିଂ ଜୋନ୍‌, ପିଲାଙ୍କ ପାଇଁ ଖେଳକୁଦ ଅଞ୍ଚଳ, ଫିଟ୍‌ନେସ୍‌ ସେଣ୍ଟର୍‌, ସମୁଦ୍ର ସ୍ନାନ ପରେ ଅତ୍ୟାଧୁନିକ ଶୌଚାଳୟର ସୁବିଧା, ପାନୀୟ ଜଳ, ପାର୍କିଂ ସୁବିଧା ସବୁକିଛି ଉପଲବ୍ଧ ହେଉଛି। 

ଏହା ମାଳଦ୍ବୀପ କିମ୍ବା ଗୋଆ ବିଚ୍‌ ନୁହେଁ, ବରଂ ପୁରୀର ବ୍ଲୁ ଫ୍ଲାଗ୍‌ ବିଚ୍‌ ଦେଉଛି ଏଭଳି ଅନୁଭବ। ୩ ବର୍ଷରେ ବ୍ଲୁ ଫ୍ଲାଗ୍‌‌ ବିଚ୍‌କୁ ୨୨ଲକ୍ଷ ୧୯ ହଜାର ୫୪୦ଜଣ ପର୍ଯ୍ୟଟକ ବୁଲିବାକୁ ଆସିଛନ୍ତି। ବ୍ଲୁ ଫ୍ଲାଗ୍‌ ବେଳାଭୂମି (ବିଚ୍‌)ର ଉଚ୍ଚସ୍ତରୀୟ ଭିତ୍ତିଭୂମି ଓ ସେବା ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଏଠାକୁ ଆକର୍ଷିତ କରୁଛି। ପୁରୀକୁ ବିଶ୍ବସ୍ତରୀୟ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାର ଏହା ଅନନ୍ୟ ଉଦାହରଣ। କୋଣାର୍କ ଚକ ଓ ଭିନ୍ନ ମୁଦ୍ରାରେ ନୃତ୍ୟରତ ଦୁଇ ନର୍ତ୍ତକୀ ରହିଛନ୍ତି। ପାଦଚଲା ରାସ୍ତା, ଷ୍ଟିଲ୍ ରେଲିଂ ଓ ରଙ୍ଗ ବେରଙ୍ଗର ଫୁଲ ମନ କିଣି ନେଉଛି। ଝାଉଁ ଗଛ, ବାଉଁଶରେ ତିଆରି ଧଳା-ନୀଳ ରଙ୍ଗର ପ୍ରାଚୀର, ପାଲମିରା ପାମ୍‌ ଟ୍ରି’, ତାଳ ଓ ନଡ଼ିଆ ଗଛ ବେଳାଭୂମିର ଶୋଭାକୁ ଦ୍ବିଗୁଣିତ କରୁଛି। ୱାଚ୍ ଟାୱାରରୁ ସମୁଦ୍ରକୁ ଦେଖିବାର ମଜା ଉଠାଉଛନ୍ତି ପର୍ଯ୍ୟଟକ। ସ୍ବାଦିଷ୍ଟ ଖାଦ୍ୟ ଉପଲବ୍ଧ ହେଉଛି। ମିସନ୍ ଶକ୍ତି କାଫେ ସହ ‘ନିମନ୍ତ୍ରଣ’ ରେସ୍ତୋରାଁ ରହିଛି। ଗୋଆ ଭଳି ଶତାଧିକ ନୀଳ ରଙ୍ଗର ଆରାମ ଚେୟାର ରହିଛି।

Post a Comment

0 Comments