AD

କୁଲଢିଆର ପ୍ରକୃତିର ଦୃଶ୍ୟ ଖୁବ ମନୋରମ The nature scenery of Kuldiha is very pleasant

 


କୁଲଢିଆର ପ୍ରକୃତିର ଦୃଶ୍ୟ ଖୁବ ମନୋରମ । ଏହାର ସୌନ୍ଦର୍ଯ୍ୟ ପଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରେ । ଏଠାରେ ଥିବା ଜୀବଯନ୍ତୁ ଏବଂ ସୁନ୍ଦର ପରିବେଶରେ ପର୍ଯ୍ୟଟକମାନେ ବାହାର ଦୁନିଆକୁ ଭୁଲି ଯାଆନ୍ତି । ତେବେ ରାଜ୍ୟ ତଥା ଦେଶର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କୁଲଢିଆ ଅଭୟାରଣ୍ୟକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ମିଳିଛି । ଯାହା ଓଡ଼ିଶା ତଥା ବାଲେଶ୍ୱର ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ । କୁଲଢିଆ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲ ମଧ୍ୟରେ ବହୁ ହାତୀ ରହୁଥିବାରୁ ଏହାକୁ ହସ୍ତୀ ଅଭୟାରଣ୍ୟର ମାନ୍ୟତା ମଧ୍ୟ ମିଳିଛି । ଏହାର ପାକୃତିକ ସୌନ୍ଦର୍ଯ୍ୟରେ ଆକୃଷ୍ଟ ହୋଇ ଜିଲ୍ଲା ତଥା ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ଏହାର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଆସିଥାନ୍ତି।ଏହି ଅଭୟାରଣ୍ୟ ୨୭୨.୭୫ ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପି ରହିଛି । ଏହା ମଧ୍ୟରେ ଛୋଟ ଛୋଟ ପାହାଡି ଝରଣା, ରିଶିଆ ଡ୍ୟାମ , ଗୋହିରାଭୋଳ ଠାରେ ପ୍ରକୃତି ନିବାସ ରହିଛି ।

   ଜଙ୍ଗଲ ମଧ୍ୟରେ ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ ଯଥା ହାତୀ, ଭାଲୁ ,ବାଘ, ହରିଣ, ସମ୍ବର, ଗୟଳ, ମଇଁଷି, ନୀଳଗାଈ, କୁଟାରି ବଜ୍ରକାପ୍ତା, ଠେକୁଆ, ମୟୂର, ବିରଳ ପ୍ରଜାତିର ପାହାଡି କଇଁଛ ଏବଂ ଦେଶୀ ତଥା ବିଦେଶାଗତ ପକ୍ଷୀ ଦେଖାଯାଇଥାନ୍ତି । ୨୫୦ରୁ ଅଧିକ ପ୍ରଜାତିର ପଶୁପକ୍ଷୀ ଏଠାରେ ଭିନ୍ନ ଭିନ୍ନ ସମୟରେ ଦେଖିବାକୁ ମିଳିଥାଏ । ତେବେ ଏହି ସବୁ ଦୃଶ୍ୟ ଦେଖିବାକୁ ହେଲେ ପର୍ଯ୍ୟଟକ ମାନଙ୍କୁ ଅଭୟାରଣ୍ୟ ଭିତରକୁ ଯିବାକୁ ପଡ଼ିଥାଏ । ଏବେ ବନବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ରାତ୍ର ରହଣୀ ଓ ସୁଷମ ଖାଦ୍ୟ ପେୟର ବ୍ୟବସ୍ଥା କରାଯାଇଛି ।


ତେବେ ବର୍ଷା ଋତୁରେ ପାଞ୍ଚ ମାସ ଏହି ଅଭୟାରଣ୍ୟ ବନ୍ଦ ରହୁଥିବା ବେଳେ ଚଳିତ ବର୍ଷ ପର୍ଯ୍ୟଟକମାନଙ୍କ ପାଇଁ ନଭେମ୍ବର ୧ ତାରିଖରେ ଏହା ଖୋଲାଯାଇଛି । ତେବେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ନଭେମ୍ବର ୧ ତାରିଖରେ କୁଲଢିଆ ଅଭୟାରଣ୍ୟରେ ଗୁହିରାଭୋଳ ଗେଟ୍ ପର୍ଯ୍ୟଟକଙ୍କ ପାଇଁ ଖୋଲା ଯାଇଛି। ପ୍ରଥମ ପର୍ଯ୍ୟଟକ ଭାବେ ଯାଜପୁର ଜିଲ୍ଲାର କୃପାସିନ୍ଧୁ ଦାସ ନାମ ପଞ୍ଜିକରଣ କରିଛନ୍ତି । ଗେଟ୍ ଖୋଲିବା ପରେ ୭ଟି ଚାରିଚକିଆ ଗାଡ଼ି ଓ ୨୭ ଜଣ ପର୍ଯ୍ୟଟକ ଅଭୟାରଣ୍ୟ ବୁଲିବାକୁ ଯାଇଥିବା ବନବିଭାଗ ସୂତ୍ରରୁ ଜଣାଯାଇଛି । ପର୍ଯ୍ୟଟକଙ୍କ ବୁଲିବା ପାଇଁ ଏହି ସମୟରେ ଚାରୋଟି କୃତ୍ରିମ ସଲ୍ଟ ପିଚ୍, ପାଞ୍ଚଟି ୱାଚ ଟାୱାର କରାଯାଇଛି। ଏହା ସାହାଯ୍ୟରେ ଅତି ନିକଟରୁ ଅଭୟାରଣ୍ୟର ପଶୁପକ୍ଷୀଙ୍କୁ ଦେଖିହେବ। ଅନ୍ୟପଟେ ଭ୍ରମଣ ପାଇଁ ଦିନ ୧୦ ଟାରୁ ଦିନ ୫ ଟା ପର୍ଯ୍ୟନ୍ତ ସମୟ ନିର୍ଦ୍ଧାରିତ ରହିଛି । ଏଠାରେ ଜଣେ ବ୍ୟକ୍ତିଙ୍କ ପାଇଁ ୪୦ ଟଙ୍କା, କ୍ୟାମେରା ପାଇଁ ୫୦ ଟଙ୍କା, ଚାରିଚକିଆ ଯାନ ପାଇଁ ୧୦୦ ଓ ନେଚରକ୍ୟାମ୍ପ ରାତ୍ରି ଯାପନ ପାଇଁ ୩୮୫୪ ଟଙ୍କା ଧାର୍ଯ୍ୟ କରାଯିବା ସହିତ ଅନଲାଇନ୍ ବୁକିଂ ଓ ୱେବ୍ ସାଇଟ୍ ମାଧ୍ୟମରେ ବୁକିଂର ବ୍ୟବସ୍ଥା ରହିଛି।

Post a Comment

0 Comments