AD

ଦିଲ୍ଲୀ ବାଣିଜ୍ୟ ମେଳାରେ ଉତ୍କଳୀୟ ସମୃଦ୍ଧ ନୌବାଣିଜ୍ୟ ପରମ୍ପରାର ଝଲକ



ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଚାଲିଛି ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା। ଏଠାରେ ଏକ ପ୍ରମୁଖ ଆକର୍ଷଣ ହୋଇଛି ‘ଓଡ଼ିଶା ପାଭିଲିୟନ’। ଓଡ଼ିଶାର କଳା, ସଂସ୍କୃତି, ପର୍ଯ୍ୟଟନ, ଆଦିବାସୀ ଜୀବନ, ହସ୍ତତନ୍ତ ଓ ହସ୍ତଶିଳ୍ପ, ଗ୍ରାମୀଣ ଉତ୍ପାଦ, ମିଶନ ଶକ୍ତି ମା’ଙ୍କ ହାତ ତିଆରି ଜିନିଷ ତଥା କୃଷି ଏବଂ ମିଲେଟ୍ ପ୍ରସ୍ତୁତ ଖାଦ୍ୟ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରୁଛି।

ଓଡ଼ିଶାର କଳା କାରିଗରି ସହ ବିକାଶର ଚିତ୍ର ଓଡ଼ିଶା ପାଭିଲିୟନରେ ପ୍ରତିଫଳିତ ହେଉଛି। ପ୍ରାଚୀନ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ପ୍ରତୀକ ‘ବୋଇତ’ ଓଡ଼ିଶା ପାଭିଲିୟନକୁ ବେଶ୍ ସମୃଦ୍ଧ କରିଛି। ଏହା ସାମ୍ନାରେ ନୂଆଦିଲ୍ଲୀର ‘ସତ୍ୟଯୁଗ ଦର୍ଶନ ସଙ୍ଗୀତ କଳା’ ଅନୁଷ୍ଠାନର କଳାକାରମାନଙ୍କ ନୃତ୍ୟ ପରିବେଷଣ ବେଶ୍ ଚିତ୍ତାକର୍ଷକ ହୋଇଥିଲା। ସେମାନେ ବାଣିଜ୍ୟ ମାଧ୍ୟମରେ ଏକତାର ଗୀତ ଗାଇ ଦର୍ଶକମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ।

 ଓଡ଼ିଶା ପାଭିଲିୟନର ମଧ୍ୟଭାଗରେ ଥିବା ବୋଇତ ଉପରେ ବିଭିନ୍ନ ହସ୍ତକଳା ଓ ହସ୍ତତନ୍ତ ସାମଗ୍ରୀ ପ୍ରଦର୍ଶିତ ହେବା ସହ ଲାଇଭ୍ ଡେମନଷ୍ଟ୍ରେସନ୍ କରାଯାଉଛି। ପାରମ୍ପରିକ ବୋଇତର କଳାକୃତି ଏବଂ ତା’ ଉପରେ ବସିଥିବା ସାଧବାଣୀମାନଙ୍କ ଦୃଶ୍ୟ ନୂଆଦିଲ୍ଲୀରେ ପର୍ଯ୍ୟଟକମାନଙ୍କୁ ଏକ ନୂଆ ଅନୁଭବ ଦେଉଛି।

 ଅହିଂସା ଉପାୟରେ ପ୍ରସ୍ତୁତ ଓଡ଼ିଶାର ‘କରୁଣା ସିଲ୍କ’ ଏଥର ଓଡ଼ିଶା ପାଭିଲିୟନର ଏକ ଆକର୍ଷଣୀୟ ବିଷୟ ହୋଇଛି। ଓଡ଼ିଶାରୁ ଯାଇଥିବା ପାରମ୍ପରିକ ହସ୍ତତନ୍ତ ବୁଣାକାରମାନେ ସେଠାରେ ବସି କରୁଣା ସିଲ୍କରେ ଶ୍ରୀଜଗନ୍ନାଥଙ୍କ ଖଣ୍ଡୁଆ ପାଟ ବୁଣୁଥିବା ଦୃଶ୍ୟକୁ ବେଶ୍ ଆଗ୍ରହର ସହ ଦେଖୁଛନ୍ତି 

ଦେଶବିଦେଶର ପର୍ଯ୍ୟଟକ।ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ତତ୍ତ୍ୱାବଧାନରେ ଓଡ଼ିଶା ପାଭିଲିୟନକୁ ପ୍ରସ୍ତୁତ କରାଯାଇଛି। ଏଥିରେ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ୨୪ଟି ଷ୍ଟଲରେ ବିଭିନ୍ନ ସାମଗ୍ରୀର ପ୍ରଦର୍ଶନ ଓ ବିକ୍ରି କରାଯାଉଛି।


Post a Comment

0 Comments