AD

ଅତ୍ୟାଧୁନିକ ବୈଜ୍ଞାନିକ ଯୁଗରେ ମଧ୍ୟ ଲୋକେ ଗୁଣିଆ ଉପରେ ଭରସା କରୁଛନ୍ତି

 


ଅତ୍ୟାଧୁନିକ ବୈଜ୍ଞାନିକ ଯୁଗରେ ମଧ୍ୟ ଗ୍ରାମାଞ୍ଚଳର ଲୋକେ ଗୁଣିଆ ଉପରେ ଭରସା କରୁଛନ୍ତି। ସଚେତନତା ଅଭାବ ଯୋଗୁଁ ଗୁଣି ଗାରେଡ଼ି, ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହୋଇ ରୋଗ ଭଲ ହେବା ପାଇଁ ମେଡିକାଲ ଯିବା ବଦଳରେ ପୂଜା ପାଠ କରୁଛନ୍ତି। ଅଧିକାଂଶ ସମୟରେ ଗୁଣି ଗାରେଡ଼ି କରି ରୋଗ ଜଟିଳ ହେବା ପରେ ମେଡିକାଲ ଯିବାକୁ ବାଧ୍ୟ ହେଉଛନ୍ତି। ଏପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଲୁହାକଳା ରଙ୍ଗମାଟିଆ ସାହି ରେ। ସୂଚନା ଅନୁସାରେ ଲୁହାକଳା ରଙ୍ଗମାଟିଆ ସାହି ର ବନା ମୁଣ୍ଡା ଙ୍କ ମାସକ ତଳେ ଦେହ ଅସୁସ୍ଥ ହୋଇଥିଲା। ଫଳରେ ଚିକିତ୍ସା ପାଇଁ କେନ୍ଦୁଝର ମେଡିକାଲ ରେ ରହି ଚିକିତ୍ସତ ହେଉଥିଲେ। ଚିକିତ୍ସିତ ହେଉଥିବା ବେଳେ ତାଙ୍କ ପେଟ ଅସ୍ବାଭାବିକ ଭାବେ ଫୁଲି ଯାଉଥିଲା। ମେଡିକାଲ ରେ କିଛି ଦିନ ରହିବା ପରେ ଦେହ ସୁସ୍ଥ ନ ହେବାରୁ ବନା ମେଡିକାଲ ଛାଡି ଘରକୁ ପଳାଇ ଥିଲେ। ଗାଁ ରେ ଜଣେ ଗୁଣିଆ ର ସାହାରା ନେଇଥିଲେ। ଗୁଣିଆ ଜଣକ ଭଲ କରିଦେବା ର ପ୍ରତିଶୃତି ଦେଇ ବିଭିନ୍ନ ପ୍ରକାର ପୂଜା ପାଠ ଘରେ କରି ଚାଲିଥିଲେ।

 ପ୍ରାୟ ୨୦ ଦିନ ଧରି ପୂଜା ପାଠ ଚାଲିବା ପରେ ବନା ଙ୍କ ଶରୀର ସୁସ୍ଥ ହେବା ପରିବର୍ତ୍ତେ ଆହୁରି ସଙ୍କଟାପନ୍ନ ହୋଇ ଯାଇଥିଲା। ଏହି ଖବର ଜଣା ପଡିବା ପରେ ସ୍ଥାନୀୟ ଯୁବକ ମାନେ ବନା ଙ୍କ ଘରେ ପହଞ୍ଚି ମେଡିକାଲ୍ ଯିବାକୁ ପରାମର୍ଶ ଦେଇଥିଲେ। ହେଲେ ସେ ମେଡିକାଲ ଯିବାକୁ ଭୟ କରି ପୂଜା ପାଠ ରେ ଭଲ ହୋଇଯିବ ବୋଲି କହିଥିଲେ। ତାଙ୍କର ଆର୍ଥିକ ଅବସ୍ଥା ଭଲ ନଥିବାରୁ ମଧ୍ୟ ସେ ମେଡିକାଲ ଯିବାକୁ ଅରାଜି  ହେଉଥିଲେ। ସ୍ଥାନୀୟ ଯୁବକ, ସାଇ ପଡ଼ିଶା ଙ୍କ କଥାରେ ପରିବାର ଲୋକେ ରାଜି ହେବା ପରେ ବନା ମେଡିକାଲ ଯିବାକୁ ରାଜି ହୋଇଥିଲେ। ଗତକାଲି ସ୍ଥାନୀୟ ଯୁବକ ମାନେ ଆମ୍ବୁଲାନ୍ସ ଡାକି ଥିଲେ। ବନା ଙ୍କ ଘର ପାଖକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଟି ଘର ଠାରୁ କିଛି ଦୂରରେ ଅଟକିଥିଲା। ସ୍ଥାନୀୟ ଯୁବକ ମାନେ ଷ୍ଟ୍ରେଚର ରେ ବୋହି ଆମ୍ବୁଲାନ୍ସ ନିକଟ କୁ ପହଞ୍ଚାଇ ଥିଲେ। ଆମ୍ବୁଲାନ୍ସ ରେ ବନା ପରିବାର ଲୋକଙ୍କ ସହିତ ଯାଇ କେନ୍ଦୁଝର ମେଡିକାଲ ରେ ଏବେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଚିକିତ୍ସାରେ ବିଳମ୍ବ ହୋଇଥିବାରୁ ବନା ଙ୍କ ଦେହ ଅସୁସ୍ଥ ହୋଇ ଜଟିଳ ପରିସ୍ଥିତି ସୃଷ୍ଟି କରିଥିବା ତାଙ୍କୁ ଚିକିତ୍ସା କରୁଥିବା ଡ଼ାକ୍ତର କହିଛନ୍ତି।

Post a Comment

0 Comments