AD

Controversy has erupted over the price of Mahaprasad in Jagannath temple ଜଗନ୍ନାଥ ମନ୍ଦିରରେ ମହାପ୍ରସାଦ ଦରକୁ ନେଇ ବିବାଦ ମୁଣ୍ଡ ଟେକିଛି

 



ଏବେ ଶ୍ରୀମନ୍ଦିରରେ ମହାପ୍ରସାଦ ଦରକୁ ନେଇ ବିବାଦ ମୁଣ୍ଡ ଟେକିଛି। ଯେଉଁ ଦର ତାଲିକା ସୁଆର ମହାସୁଆର ନିଯୋଗ ପ୍ରସ୍ତୁତ କରିଛି, ତାହା ଭକ୍ତଙ୍କୁ କଷ୍ଟ ଦେଉଛି। ଯେଉଁଠି ମହାପ୍ରସାଦ ପ୍ରସ୍ତୁତି ପାଇଁ ଶ୍ରୀମନ୍ଦିର ରୋଷଘର ଓ ମହପ୍ରସାଦ ବିକ୍ରି ପାଇଁ ଆନନ୍ଦବଜାରକୁ ଶ୍ରୀମନ୍ଦିର ପ୍ରଶାସନ ଦେୟମୁକ୍ତ କରିଛି, ସେଠି କାହା ସ୍ବାର୍ଥରେ ମହାପ୍ରସାଦ ପାଇଁ ଭକ୍ତଙ୍କଠାରୁ ଏତେ ଟଙ୍କା ନିଆଯିବ, ତାହା ବିରାଟ ପ୍ରଶ୍ନ ହୋଇ ଠିଆ ହୋଇଛି। ଏଭଳି ସ୍ଥିତିରେ ଅତୀତରେ ଶ୍ରୀମନ୍ଦିର ପ୍ରଶାସନର ଯେଉଁ ମାଗଣା ମହାପ୍ରସାଦ ବଣ୍ଟନ ବ୍ୟବସ୍ଥା କରିଥିଲା, ତାକୁ କାହିଁକି ବନ୍ଦ କରି ଦିଆଗଲା ବୋଲି ଭକ୍ତ ମହଲ ପ୍ରଶ୍ନ କରିବା ଆରମ୍ଭ କଲେଣି।

 

ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କୁ ମାଗଣାରେ ମହାପ୍ରସାଦ ଦେବା ବ୍ୟବସ୍ଥା ନେଇ ପରିଚାଳନା କମିଟିର ଦାବି ପରେ ଏହି ବ୍ୟବସ୍ଥା  କାର୍ଯ୍ୟକାରୀ କରାଯାଇଥିଲା। ଗରିବ ଭକ୍ତମାନେ ଯେଉଁ ମହାପ୍ରସାଦ କିଣି ପାରୁନଥିଲେ, ସେମାନେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବଣ୍ଟନ ହେଉଥିବା ମାଗଣା ମହାପ୍ରସାଦ ପାଇପାରୁଥିଲେ। ଧନୀକ ଭକ୍ତଙ୍କ ପାଇଁ ବି ମହାପ୍ରସାଦ ପାଇବା କ୍ଷେତ୍ରରେ ବାରଣ ନ ଥିଲା। ଏଥିପାଇଁ ଶ୍ରୀମନ୍ଦିର ବଜେଟ୍‌ରେ ପ୍ରାୟ ଦେଢ଼ କୋଟି ଟଙ୍କାର ବ୍ୟୟବରାଦ କରାଯାଉଥିଲା। ଏହି ଟଙ୍କାରେ ସୁଆର ମହାସୁଆର ନିଯୋଗ ନିର୍ଦ୍ଦିଷ୍ଟ ସୁଆରଙ୍କ ଜରିଆରେ ବାଇଶିପାହାଚଠାରେ ମହପ୍ରସାଦ ଭକ୍ତଙ୍କୁ ବଣ୍ଟନ କରୁଥିଲେ। ଖେଚୁଡି, ଅନ୍ନ ଆଦି ଭକ୍ତଙ୍କୁ ବଣ୍ଟନ ହେଉଥିଲା। କିନ୍ତୁ ଦୁର୍ଭାଗ୍ୟ, ଶ୍ରୀମନ୍ଦିର ସଂସ୍କାର ପାଇଁ ମନ୍ଦିର ପ୍ରଶାସନ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ବାହ୍ୟ ଚାପର ବଶବର୍ତ୍ତୀ ହୋଇ ଏହି ଜନକଲ୍ୟାଣକାରୀ ସେବା ଯୋଜନାକୁ ଗତ ୪ ବର୍ଷ ହେବ ବନ୍ଦ କରି ଦେଇଛି। ଫଳରେ ଭକ୍ତମାନେ ମାଗଣା ମହାପ୍ରସାଦ ପାଇବାରୁ ବଞ୍ଚିତ ହୋଇଛନ୍ତି। ସୁରେଶ ମହାପାତ୍ର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିବା ବେଳେ ଏହି ବ୍ୟବସ୍ଥା ଲାଗୁ କରିଥିଲେ। ଏଥି ପ୍ରତି ଜନ ସମର୍ଥନ ବଢିବାରୁ ଶ୍ରୀମନ୍ଦିର ପ୍ରଶାସନ ମାଗଣା ମହାପ୍ରସାଦ ସେବାକୁ ବୃହତ ଆକାରରେ କରିବା ପାଇଁ ନିଷ୍ପତ୍ତି ନେଇଥିଲା। ଏଥି ନିମନ୍ତେ ଶେଷଥର ୨୦୧୮-୧୯ ଆର୍ଥିକ ବଜେଟରେ ଦେଢ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା। ମାତ୍ର କୋଭିଡ୍‌ ପରଠୁ ଆଉ ଭକ୍ତଙ୍କୁ ମାଗଣା ମହାପ୍ରସାଦ ଦିଆଯାଉନି। ଯାହାକୁ ନେଇ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Post a Comment

0 Comments