AD

Caitra jatra of maa taratarini || ମାଁ ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ ||


ଚଳଚଞ୍ଚଳ ହୋଇଉଠିଛି ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀଙ୍କ ଶକ୍ତି ପୀଠ । ମଙ୍ଗଳବାର ଠାରୁ ମା'ଙ୍କ ଚୈତ୍ର ଯାତ୍ରା ଆରମ୍ଭ ହୋଇଛି । ଚଳିତ ମାସରେ ଚାରୋଟି ମଙ୍ଗଳବାର ପଡୁଥିବା ବେଳେ ପ୍ରଥମ ମଙ୍ଗଳବାର ଠାରୁ ହିଁ ପୀଠ ରେ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ମନ୍ଦିର ପ୍ରତିଷ୍ଠା ହେବା ପରେ ଚଳିତ ଥର ହେଉଛି ମା'ଙ୍କ ପ୍ରଥମ ଚୈତ୍ର ଯାତ୍ରା । ମନ୍ଦିର ପ୍ରତିଷ୍ଠା ପରେ ଅନେକ ଉନ୍ନୟନ କାର୍ଯ୍ୟ ହୋଇଥିବା ବେଳେ ମା'ଙ୍କୁ ଦର୍ଶନ କରିବା ନିମନ୍ତେ ଭକ୍ତ ମାନେ ବହୁ ଦୂରଦୂରାନ୍ତରୁ ମନ୍ଦିରକୁ ଛୁଟି ଆସିଥିଲେ । ମାଙ୍କ ନିକଟରେ ଯାହା ମନସ୍କାମନା କଲେ ତାହା ପୂରଣ ହୁଏ । ଆଉ ଏଥିପାଇଁ ଦୀର୍ଘ ବର୍ଷ ହେଲା ଚୈତ୍ର ଯାତ୍ରା ସମୟରେ ମା'ଙ୍କୁ ଦର୍ଶନ କରିଥାଉ ବୋଲି କହିଛନ୍ତି ଭକ୍ତ । ଏହାଛଡା ମାଁଙ୍କ ମନ୍ଦିର ତଳେ ମୁଣ୍ଡନ ବ୍ୟବସ୍ଥା କରାଯାଇଥିବା ବେଳେ ଭକ୍ତ ମାନେ ନିଜ ମାନସିକ ଅନୁଯାୟୀ ମୁଣ୍ଡନ କରିଛନ୍ତି । ନିଜର ପ୍ରଥମ ପିଲାର ଚୁଟି ମା'ଙ୍କ ପୀଠରେ କାଟିଲେ ସମ୍ପୃକ୍ତ ଭକ୍ତ ସହ ପରିବାରର ମଙ୍ଗଳ ହୋଇଥାଏ ବୋଲି ଭକ୍ତଙ୍କ ଅତୁଟ ବିଶ୍ବାସ ରହିଛି ।

ପ୍ରଥମ ଦିନରେ ମା'ଙ୍କୁ ବିଭିନ୍ନ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ପ୍ରାତଃ ସମୟରେ ମାଙ୍କ ଦ୍ବାର ଫିଟା ନୀତି ପରେ ଅବକାଶ, ମଙ୍ଗଳ ଆଳତି, ମଇଲମ ଲାଗି ହେବା ପରେ ମହାକାଳୀ ରୂପେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ସମସ୍ତ ସେବାୟତ ମାନେ ଉପସ୍ଥିତ ରହି ମାଙ୍କ ମହାଆଳତୀ ଅନୁଷ୍ଠିତ ହୋଇଥିଲା । ଆଜି ପ୍ରଥମ ମଙ୍ଗଳବାରରେ ମା'ଙ୍କ ମହାକାଳୀ ବେଶ, ଦ୍ବିତୀୟ ମଙ୍ଗଳବାରରେ ମାଁ ମହା ସରସ୍ଵତୀ, ତୃତୀୟ ମଙ୍ଗଳବାରରେ ମହା ଲକ୍ଷ୍ମୀ ଓ ଶେଷ ମଙ୍ଗଳବାରରେ ମାଁ ମହିଷାମର୍ଦ୍ଧିନୀ ବେଶରେ ମାଁ ଭକ୍ତଙ୍କୁ ଦର୍ଶନ ଦେବେ ବୋଲି ସୂଚନା ଦେଇଛନ୍ତି ମାଙ୍କ ସେବାୟତ । ସେପଟେ କିଭଳି ଶାନ୍ତି ଶୃଙ୍ଖଳାର ସହ ମା'ଙ୍କ ଚୈତ୍ର ଯାତ୍ରା ଶେଷ ହେବ ସେ ନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଭକ୍ତ ମାନଙ୍କ ନିମନ୍ତେ ପାନୀୟ ଜଳର ବ୍ୟବସ୍ଥା, ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ଼ର ବ୍ୟବସ୍ଥା ସହ ପାହାଡ ଉପରକୁ ଯାଇ ମା'ଙ୍କୁ ଦର୍ଶନ କରିବା ନିମନ୍ତେ ସିଟି ବସର ବ୍ୟବସ୍ଥା କରାଯାଇଛି । ଭକ୍ତ ମାନଙ୍କୁ ଯେଭଳି କୈାଣସି ଅସୁବିଧା ନ ହୁଏ ସେଥିନିମନ୍ତେ ବରିଷ୍ଠ ପୋଲିସ ଅଧିକାରୀ ସହ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ ।

 

Post a Comment

0 Comments