ଭୁବନେଶ୍ବର: ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ କରିବ। କମିସନରେଟ ପୁଲିସ ପକ୍ଷରୁ ୨ଟି ଏତଲାର କପି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ହସ୍ତାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁସାରେ କମିସନରେଟ ପୁଲିସ ଖଣ୍ଡଗିରି ଓ ନୟାପଲ୍ଲୀ ଥାନାରେ ହୋଇଥିବା ଏତଲାର କପି ଇଡିକୁ ହସ୍ତାନ୍ତର କରିଛି। ବେଆଇନ୍ ଆର୍ଥିକ କାରବାର ନେଇ ଇଡି ତଦନ୍ତ କରିପାରେ। ଏଥିପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କମିସନରେଟ ପୁଲିସକୁ ଅର୍ଚ୍ଚନାର ବିରୋଧରେ ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ହୋଇଥିବା ଏତଲାର କପି ମାଗିଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ଆର୍ଥିକ କାରବାର ନେଇ ଖୋଳତାଡ କରିବ ବୋଲି ଆଶା କରାଯାଉଛି। ଉଭୟ ସ୍ବାମୀ ଓ ସ୍ତ୍ରୀ ଏବେ ସେକ୍ସେଟୋର୍ସନ ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲରେ ଅଛନ୍ତି। ଗତ ୭ ତାରିଖରେ ଅର୍ଚ୍ଚନା ଗିରଫ ହେବାର ୧୫ ଦିନ ପରେ ସ୍ୱାମୀ ଜଗବନ୍ଧୁଙ୍କୁ ପୁଲିସ ଗିରଫ କରିଥିଲା।
ଗତ ୨୧ ତାରିଖରେ ଅର୍ଚ୍ଚନାର ସ୍ବାମୀ ଜଗବନ୍ଧୁ ଚାନ୍ଦ ଗିରଫ ହୋଇ ଝାରପଡ଼ା ଜେଲ୍ ଯିବା ପରେ ଡିସିପି ପ୍ରତୀକ ସିଂ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ ଯେ, ଅର୍ଚ୍ଚନାର ଅପରାଧିକ ଷଡଯନ୍ତ୍ରରେ ଜଗବନ୍ଧୁ ସାମିଲ ଥିଲେ। ଫଟୋ, ଭଡ଼ିଓ ଭାଇରଲ ସହ ବ୍ଲାକମେଲର ଜଗବନ୍ଧୁ ସମ୍ପର୍କ ରହିଛି। ୪ଟି ମୋବାଇଲ ଫୋନ୍, ଲାପଟପ ଓ ଡାଏରି ସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି। ସେହିପରି ପୀଡ଼ିତାଙ୍କର ୧୬୪ ଧାରରେ ବୟାନ ରେକର୍ଡ ହୋଇଛି। ଏ ଘଟଣାକୁ ଖଣ୍ଡଗିରି ଥାନା ଅଧିକାରୀ ତଦନ୍ତ କରୁଛନ୍ତି। ଅର୍ଚ୍ଚନାଙ୍କ ବିରୋଧରେ ନୟାପଲ୍ଲୀ ଥାନାରେ ଥିବା ପ୍ରଯୋଜକଙ୍କ ଅଭିଯୋଗର ରିମାଣ୍ଡ ଟ୍ୟାଗ ପାଇଁ କୋର୍ଟରେ ପ୍ରୋସେସ କରାଯାଉଛି। ଏଦିଗରେ ଅଧିକ ତଦନ୍ତ କରାଯାଉଛି। ତେଣୁ ଆଶା କରାଯାଉଛି ଯେ, ଏହି ମାମଲାରେ ବଡ଼ ଗୁମର ଖୋଲିପାରେ।
0 Comments
Please do not enter any Spam Link in the comment Box ,